46 ବର୍ଷ ପ୍ରତୀକ୍ଷାର ଅନ୍ତ, ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର

Ratnabhandar of srimandira reopens after 46 years | Colors of Life

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଅଛି କଣ ?

ରତ୍ନଭଣ୍ଡାର ଖୋଲିବା ପରେ ବଢୁଛି ଲୋକଙ୍କ ଉତ୍କଣ୍ଠା ।  କଳ୍ପନାଜଳ୍ପନାରେ ହେବ ଅନ୍ତ । ଏବେ ରାଜ୍ୟବାସୀଙ୍କ ସହ ଜଗତବାସୀଙ୍କୁ ମିଳିବ ଏହିସବୁ ପ୍ରଶ୍ନର ଉତ୍ତର । ଦୀର୍ଘ 46 ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ମଭଣ୍ଡାର ଅଳଙ୍କାର ଗଣତିମଣତି ହେବାକୁ ଯାଉଛି । 

ଜୁଲାଇ 14 ତାରିଖ ଶୁଭବେଳାରେ ରତ୍ମଭଣ୍ଡାର ଖୋଲାଯାଇଛି । ପୁରୁଣା ଚାବିରେ ନଖୋଲିବାରୁ 3 ତାଲା ତାଲା ଭାଙ୍ଗି ଭିତରକୁ ଯାଇ 11 ଜଣିଆ କମିଟି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଭିତର ରତ୍ନଭଣ୍ଡାରରେ ସିନ୍ଧୁକ ଓ ଆଲମିରା ଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପ୍ରଥମ ଦିନରେ ସିନ୍ଧୁକ ଓ ଆଲମିରା ଖୋଲାଯାଇନାହିଁ । ଭିତର ରତ୍ନଭଣ୍ଡାର ମରାମତି ପରେ ହେବ ଗଣତିମଣତି । 


କିପରି ଖୋଲିଲା ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ?

ଜୁଲାଇ 13 ତାରିଖ ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଏସପି ପିନାକ ମିଶ୍ର ଶ୍ରୀମନ୍ଦିର ଭିତରକୁ ଯାଇ ସୁନା ଅଳଙ୍କାର ସ୍ଥାନାନ୍ତର ପାଇଁ ସ୍ଥାନ ଚିହ୍ନଟ କରିଥିଲେ। 14 ତାରିଖ ସକାଳ 10ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ପୂର୍ବରୁ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କଠାରୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଏହାପରେ ବିଧି ଅନୁସାରେ ମା' ବିମଳାଙ୍କୁ ଗୁଆଟେକା ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହାଇମାକ୍ସ ଲାଇଟ୍, 15 ଜଣିଆ ଓଡ୍ରାଫ ଟିମ୍, ସାପ ଧରାଳୀ ମନ୍ଦିର ଭିତରକୁ ଯାଇଥିଲେ । ଏଥିସହ ସୁନା ଅଳଙ୍କାର ରଖିବା ପାଇଁ 6ଟି ସିନ୍ଧୁକ ଶ୍ରୀମନ୍ଦିର ଭିତରକୁ ଯାଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ଏସବୁ ସିନ୍ଧୁକରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ରଖାଯିବ ।

14 ଜୁଲାଇ 2014 ଦିନ 1:28 ମିନିଟ ସମୟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ 11 ଜଣିଆ କମିଟି ସଦସ୍ୟ। କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ, କମିଟିର ସଦସ୍ୟ ସି.ବି.କେ ମହାନ୍ତି, ଗଜପତିଙ୍କ ପ୍ରତିନିଧି ପ୍ରବୀଣ ପରିଡା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏଏସଆଇ ଓଡ଼ିଶା ମୁଖ୍ୟ ଡି.ବି ଗଡନାୟକ, ରତ୍ନଭଣ୍ଡାର ସବକମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ ନାରାୟଣ ମେକାପ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଢାଉକରଣ ସୁଧାଶୁଂ ଶେଖର ପଟ୍ଟନାୟକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପୁରୁଣା ଚାବି ନେଇ ପ୍ରବେଶ କରିଥିଲେ ନୀତି ପ୍ରଶାସକ । ମନ୍ଦିରକୁ ପ୍ରବେଶ କରିବା ପରେ ମା' ବିମଳା, ମା' ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ । ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରି ଶୁଭ ମୁହୂର୍ତ୍ତରେ ଜଗମୋହନକୁ ପ୍ରବେଶ କରିଥିଲେ। 

ରାଜ୍ୟ ସରକାରଙ୍କ ଅନୁମତି ପରେ ରତ୍ନ ଅଳଙ୍କାରର ଗଣତିମଣତି ଆରମ୍ଭ ହେବ । ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରେ ଘଟୁଥିବା କୌଣସି କଥାକୁ ସାର୍ବଜନୀନ ନ କରିବାକୁ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।

ଶେଷ ଗଣନାବେଳେ ରତ୍ନଭଣ୍ଡାରରେ କଣ ଥିଲା ?

ଶେଷଥର 1978 ମସିହାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତି ହୋଇଥିଲା । ରତ୍ନଭଣ୍ଡାରରେ ମହଜୁଦ ଅଳଙ୍କାରର ବିସ୍ତୃତ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ରାଜ୍ୟ ସରକାର ସରକାରୀ ସତ୍ୟବାଦୀ ପ୍ରେସରେ ଏହାର ବିବରଣୀ ଛପାଯାଇଥିଲା। ତଥ୍ୟ ଅନୁଯାୟୀ, ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିଲା ମୋଟ 747 ପ୍ରକାରର ରତ୍ନ ଅଳଙ୍କାର । ଯେଉଁଥିରେ 12 ହଜାର 838 ଭରି ସୁନା ଓ 22 ହଜାର 153 ଭରି ରୁପା ରହିଥିଲା। ଭିତର ରତ୍ନଭଣ୍ଡାରରେ 231 ପ୍ରକାରର 14 ହଜାର 878 ଭରି ସୁନା ଅଳଙ୍କାର ଥିଲା । 

ଭିତର ରତ୍ନଭଣ୍ଡାରରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ପାଇଁ 97 ପ୍ରକାରର 802 ଭରି ସୁନା ଅଳଙ୍କାର ଥିଲା । ସେହିପରି କାନ ପାଇଁ 12 ପ୍ରକାରର 389 ଭରି, ନାକ ପାଇଁ 20 ପ୍ରକାରର 209 ଭରି, ବେକ ପାଇଁ 160 ପ୍ରକାରର 1 ହଜାର 450 ଭରି, ଭୁଜ ପାଇଁ 18 ପ୍ରକାରର 88 ଭରି, ମଣିବନ୍ଧ ପାଇଁ 15 ପ୍ରକାରର 134 ଭରି, ଆଙ୍ଗୁଠି ପାଇଁ 2 ପ୍ରକାରର 4 ଭରି, ଅଣ୍ଟା ପାଇଁ 5 ପ୍ରକାରର 21 ଭରି, ଗୋଡ଼ ପାଇଁ 2 ପ୍ରକାରର ଏକ ଭରି ଓ ଅନ୍ୟାନ୍ୟ 36 ପ୍ରକାରର 1 ହଜାର 263 ଭରି ସ୍ବର୍ଣ୍ଣ ଅଳଙ୍କାର ରହିଥିଲା।  

1982 ମସିହା ଡିସେମ୍ବର 26ରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ 3 ହଜାର 337 ଭରି 10 ଅଣା ରୁପା କଢ଼ା ଯାଇଥିଲା। ଶେଷଥର 1985 ମସିହା ଜୁଲାଇ 14 ରେ ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯିବା ପରେ ପୂର୍ବଭଳି ତାଲା ପକାଇ ଜଉମୁଦ ଦିଆଯାଇଥିଲା।

ଏବେ ଭିତର ରତ୍ନଭଣ୍ଡାର ଖୋଲିବା ପରେ ବଢୁଛି ଲୋକଙ୍କ ଉତ୍କଣ୍ଠା । ପୂର୍ବ ଗଣନା ଅନୁଯାୟୀ ମହଣ ମହଣ ରତ୍ନ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି କି ନାହିଁ, ଜାଣିବାକୁ ଅପେକ୍ଷା କରିଛନ୍ତି  ରାଜ୍ୟବାସୀ ।