ଶାରଦୀୟ ନବରାତ୍ରୀ ଓ ଆୟୁର୍ବେଦ: ପାଗ ପରିବର୍ତ୍ତନ, ରୋଗର ପ୍ରାଦୁର୍ଭାବ ଏବଂ ଦେବୀଙ୍କ ସ୍ବରୂପ

 

Scientific Insights into Shardiya Navratri Rituals and Holistic Health | Colors of Life|


ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ପ୍ରତ୍ୟେକଙ୍କ ଘରେ ମଣ୍ଡପରେ, ପୀଠରେ ଜାରି ରହିଛି ଦେବୀଙ୍କ ଆରାଧନା । ନବରାତ୍ରୀର ନଅ ଦିନରେ ନଅଟି ରୂପରେ ମାଆଙ୍କୁ ପୂଜା କରାଯାଏ । ପ୍ରଥମ ଦିନରେ ମା ଶ୍ରୈଳପୁତ୍ରୀ, ଦ୍ୱିତୀୟ ଦିନରେ ବ୍ରିହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ , ଅଷ୍ଟମ ଦିନରେ ମହାଗୌରୀ ଏବଂ ନବମ ଦିନରେ ମାଙ୍କୁ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଏ । 


ପାଗ ପରିବର୍ତ୍ତନ, ରୋଗର ପ୍ରାଦୁର୍ଭାବ ଏବଂ ଦେବୀଙ୍କ ସ୍ବରୂପ


ଆମର ପ୍ରତ୍ୟେକ ପର୍ବ ଏବଂ ସେଗୁଡ଼ିକୁ ପାଳନ କରିବା ପଛରେ ରହିଛି ଅତ୍ୟନ୍ତ ବୈଜ୍ଞାନିକ ଏବଂ ପରିବେଶ ଜ୍ଞାନ । ଆୟୁର୍ବେଦିକ ଦୃଷ୍ଟିକୋଣରୁ ପାର୍ବଣ ସମୟ ସ୍ବାସ୍ଥ୍ୟ ସଚେତନାତାର ସମୟ । କାରଣ ଦୁଇ ଋତୁର ସନ୍ଧିକାଳ ହୋଇଥିବାରୁ ଏହି ସମୟରେ ଶରୀର ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ରହିଛି । ସନାତନ ସଂସ୍କୃତିରେ ସମାଜିକ ଜୀବନକୁ ସୁସ୍ଥ, ସୁନ୍ଦର କରିବା ଲକ୍ଷ୍ୟରେ ସମସ୍ତ ପର୍ବ ପର୍ବାଣୀ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି । ଯାହା ପଛରେ ନିହିତ ରହିଛି ବୈଜ୍ଞାନିକ କାରଣ । ଯାହା ସାଧାରଣ ଲୋକ ବୁଝିବା ସମ୍ଭବପର ହୋଇପାରିନଥାଏ । ସେଥିପାଇଁ ପାରମ୍ପରିକ ଭାବେ ବୈଜ୍ଞାନିକ ପଦ୍ଧତିରେ ବହୁ ପରୀକ୍ଷିତ ଉପାୟକୁ ପାର୍ବଣ ସହ ଯୋଡି ଏହାକୁ ଜନମାନସରେ ସଂଯୁକ୍ତ କରାଯାଇଛି । ଯାହା ସଭ୍ୟତାକୁ ସରସ କରିବା ସହ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ।  


ଚଳିତବର୍ଷଠାରୁ ନବରାତ୍ରୀର ଦ୍ବିତୀୟ ଦିନକୁ  ଆୟୁର୍ବେଦ ଦିବସ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆୟୁର୍ବେଦ ଅନୁସାରେ ଏହି ଦିନର ବେଶ ଗୁରୁତ୍ବ ରହିଛି । ସେପ୍ଟେମ୍ବର 23 -ଏହି ଦିନର ବିଶେଷତ୍ୱ ହେଉଛି ଦିନ ଓ ରାତି ଉଭୟ ସମାନ ଅବଧିର ହୋଇଥାଏ । ଏହି ସମୟରେ ଦେବୀଙ୍କ ବ୍ରହ୍ମଚାରିଣୀ ରୂପକୁ ପୂଜା କରାଯାଏ। 


ନବରାତ୍ରୀ ପର୍ବର ଆୟୁର୍ବେଦ ସହିତ ରହିଛି ଗଭୀର ସମ୍ପର୍କ । ନଅ ଦିନିଆ ପୂଜା ସ୍ୱାସ୍ଥ୍ୟ ପାଇଁ ଉତ୍ସର୍ଗୀକୃତ। ଶରତ ଋତୁର ଆରମ୍ଭରେ ପଡୁଥିବା ନବରାତ୍ରୀ କେବଳ ପୂଜା କିମ୍ବା ଆରାଧନାର ସମୟ ନୁହେଁ, ବରଂ ଆଧ୍ୟାତ୍ମିକ ବିକାଶ ଏବଂ ଆୟୁର୍ବେଦିକ ଉପଚାରର ସମୟ ମଧ୍ୟ। ନବରାତ୍ରୀର ପର୍ବ ସେତେବେଳେ ଆସେ ଯେତେବେଳେ ବର୍ଷା ଋତୁ ଶେଷ ହେଉଥାଏ ଏବଂ ଶୀତକାଳ ପ୍ରବେଶ କରୁଥାଏ । ନବରାତ୍ରୀକୁ ପରିବର୍ତ୍ତନଶୀଳ ଋତୁର ପ୍ରତୀକ ଭାବେ ଗ୍ରହଣ କରାଯାଏ । 


କ'ଣ କୁହନ୍ତି ଆୟୁର୍ବେଦ ବିଶେଷଜ୍ଞ ?


ଏହି ସମୟରେ ଆମେ ପରିବର୍ତ୍ତନର ଏକ ଯୁଗରେ ପ୍ରବେଶ କରୁଥିବାରୁ ଆୟୁର୍ବେଦିକ ଭାଷାରେ ଏହାକୁ ଋତୁସନ୍ଧି କୁହାଯାଏ। ପରିବେଶରେ ପରିବର୍ତ୍ତନ ସମୟରେ ଦେବୀଙ୍କ ପୂଜା, ସମସ୍ତଙ୍କର ସମନ୍ୱୟ ଏବଂ ସଂଯୋଗ ପଛରେ ରହିଛି  ଗଭୀର ବୈଜ୍ଞାନିକ କାରଣ ।


ଆୟୁର୍ବେଦଚାର୍ଯ୍ୟ, ଏହାକୁ ବିସ୍ତାରିତ ଭାବରେ ବ୍ୟାଖ୍ୟା କରିଛନ୍ତି । ଆୟୁର୍ବେଦ ଅନୁସାରେ, ଏହି ସମୟରେ ପାଚନ ଶକ୍ତି (ଅଗ୍ନି) ସନ୍ତୁଳନ କରିବା ଅତ୍ୟନ୍ତ ଜରୁରୀ। ବର୍ଷା ଋତୁରେ ଦୁର୍ବଳ ହୋଇଯାଇଥିବା ଅଗ୍ନି, ଶରତ ୠତୁରେ ପିତ୍ତ ବୃଦ୍ଧି କରିପାରେ, ଫଳରେ ଜ୍ୱର, ଚର୍ମ ରୋଗ, ଆଖି ଜ୍ୱଳନ, ଚିଡ଼ିଚିଡ଼ା ଏବଂ ବଦହଜମୀ ପରି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ଆଶଙ୍କା ରହିଥାଏ ।


ନବରାତ୍ରୀ ସମୟରେ ଉପବାସକୁ ବେଶ ଗୁରୁତ୍ବ ଦିଆଯାଏ । ଉପବାସର ଅର୍ଥ କେବଳ ଖାଦ୍ୟ ପରିହାର କରିବା ନୁହେଁ, ବରଂ ଶରୀରର ଅଗ୍ନି ସନ୍ତୁଳନ କରିବା ଏବଂ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ଶରୀରରୁ ଦୂର କରିବା। ସଂଯମ ଆଚରଣ ସହ ଆବଶ୍ୟକ ସମୟରେ ହାଲୁକା, ସାତ୍ତ୍ୱିକ ଖାଦ୍ୟ ଏବଂ ଶୁଦ୍ଧ ଔଷଧି ସେବନ କରାଯାଇପାରେ । 

ନବରାତ୍ରୀର ନଅ ଦିନ ମଧ୍ୟରେ ନଅ ଦେବୀଙ୍କ ପୂଜା କରାଯାଏ ଏବଂ ଏହି ସମସ୍ତ ଦେବୀ ନଅଟି ଔଷଧର ପ୍ରତୀକ । ପ୍ରତ୍ୟେକ ଦେବୀ ଏହି ସମସ୍ତ ଔଷଧର ଗୁଣକୁ ନିଜ ସ୍ୱରୂପରେ ଚିତ୍ରଣ କରନ୍ତି ଏବଂ ଏହା ଆୟୁର୍ବେଦରେ ସ୍ୱାସ୍ଥ୍ୟ ପ୍ରତି ଆମର ପ୍ରାଚୀନ ଋଷି ଏବଂ ଦାର୍ଶନିକମାନଙ୍କର ସୂଷ୍ମଜ୍ଞାନ ଓ ସଚେତନତାକୁ ସାମ୍ନାକୁ ଆଣିଥାଏ ।


ଦେବୀ ଶୈଳପୁତ୍ରୀ ଓ ହରିଡ଼ା (Terminalia chebula)


ନବରାତ୍ରୀର ପ୍ରଥମ ଦିନରେ ମାଆଙ୍କୁ ଶୈଳପୁତ୍ରୀ ରୂପରେ ଆବାହନ କରାଯାଏ । ଆୟୁର୍ବେଦଶାସ୍ତ୍ରୀ ଶୈଳପୁତ୍ରୀଙ୍କ ସହ ହରିଡା (Terminalia chebula)କୁ ଯୋଡିଥାନ୍ତି । 

ହରିଡା ଓ ଦେବୀ ଶୈଳପୁତ୍ରୀଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି। ଏହାକୁ ଦେବୀ ଶୈଳପୁତ୍ରୀଙ୍କ ଏକ ରୂପ ଭାବରେ ବିବେଚନା କରାଯାଏ। ହରିଡା ଏକ ପ୍ରମୁଖ ଆୟୁର୍ବେଦିକ ଔଷଧି, ଯାହା ଭୋକ ବୃଦ୍ଧି ଏବଂ ଶରୀରକୁ ପୁନର୍ଜୀବିତ କରିବା ଗୁଣ ପାଇଁ ପ୍ରସିଦ୍ଧ।


ହରିଡ଼ାର ପ୍ରକୃତି: ଗରମ 

ହରିଡ଼ାର ଗୁଣ:ଶରୀରରେ ତ୍ରିଦୋଷକୁ ସନ୍ତୁଳିତ କରିଥାଏ ହରିଡ଼ା । ହରିଡା ବିଶେଷକରି ବାତ ଓ କଫ ଦୋଷକୁ ସନ୍ତୁଳିତ କରେ, ଅନ୍ତନଳୀକୁ ଶୁଦ୍ଧ କରେ, ଅଗ୍ନିକୁ ସକ୍ରିୟ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। କୋଷ୍ଠକାଠିନ୍ୟ, ପାଚନ ସମସ୍ୟା, ଗଳା ଯନ୍ତ୍ରଣା, ଶ୍ୱାସକ୍ରିୟା ସମସ୍ୟା, ଅର୍ଶ ଏବଂ ମୂତ୍ର ସମସ୍ୟା ପାଇଁ ମଧ୍ୟ ଏହା ଲାଭଦାୟକ। 


ଦେବୀ ବ୍ରହ୍ମଚାରିଣୀ ଓ ବ୍ରାହ୍ମୀ (Bacopa monnieri)


ଦ୍ୱିତୀୟ ଦିନରେ ଦେବୀ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇଥାନ୍ତି । ସେ ବ୍ରହ୍ମଚର୍ଯ୍ୟ, ସ୍ଥିରତା ଏବଂ ସଂଯମତାକୁ ପ୍ରତିନିଧିତ୍ୱ କରନ୍ତି। ଦେବୀଙ୍କ ଦ୍ବିତୀୟ ରୂପ ସହିତ ରହିଛି ବ୍ରାହ୍ମୀର ସମ୍ପର୍କ । ବ୍ରାହ୍ମୀର ଗୁଣ ଶରୀରକୁ ଶୀତଳତା ପ୍ରଦାନ । ଏହା ପିତ୍ତ ଦୋଷକୁ ମଧ୍ୟ ଶାନ୍ତ କରିଥାଏ।


ବାହ୍ମୀର ପ୍ରକୃତି: ଶାନ୍ତ 

ବ୍ରାହ୍ମୀର ଗୁଣ: ସ୍ମୃତିଶକ୍ତି ଉନ୍ନତ କରେ, ପିତ୍ତ ଶାନ୍ତ କରେ ଓ ମନକୁ ସ୍ଥିର କରେ


ବ୍ୟବହାର: ଅନିଦ୍ରା, ଚାପ, ଅବସାଦ ଏବଂ ମାନସିକ ଥକ୍କାପଣ ପାଇଁ ଉପଯୋଗୀ। ପିଲା ଏବଂ ଛାତ୍ରମାନଙ୍କ ପାଇଁ ବୁଦ୍ଧି ବୃଦ୍ଧିକାରୀ।

Navratri Rituals and Holistic Health | Colors of Life


ଦେବୀ ଚନ୍ଦ୍ରଘଣ୍ଟା ଓ ଚନ୍ଦ୍ରସୁର(Lepidium sativum)

 

ତୃୀତୀୟ ଦିନରେ ମାଆଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ । ଏହି ରୂପ ସହିତ ଚନ୍ଦ୍ରସୁରକୁ ଯୋଡ଼ାଯାଏ । କାରଣ ଦେବୀଙ୍କ ଏହି ରୂପ ଚାନ୍ଦୁସୁର ବା ଚର୍ମହନ୍ତି ନାମକ ଏକ ଉଦ୍ଭିଦ ଦ୍ୱାରା ଅନୁପ୍ରାଣିତ, ଯାହାର ରହିଛି ବିଶେଷ ଔଷଧୀୟ ଗୁଣ । ଏହା ପେଟକୁ ଶାନ୍ତ କରିଥାଏ,  ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ।


ଚନ୍ଦ୍ରସୁରର ପ୍ରକୃତି: ଗରମ 

ଚନ୍ଦ୍ରସୁରର ଗୁଣ: ପାଚନ ଶକ୍ତି ବୃଦ୍ଧି କରେ, ଶାରୀରିକ ଶକ୍ତି ବୃଦ୍ଧି କରେ । ପ୍ରସବ ପରେ ମହିଳାଙ୍କ କ୍ଷୀର ଉତ୍ପାଦନ ବୃଦ୍ଧି, ହାଡ଼ ମଜବୁତ କରିବା, ଗ୍ୟାସ୍, କୋଷ୍ଠକାଠିନ୍ୟ ଦୂର କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ।


ଦେବୀ କୁଷ୍ମାଣ୍ଡା ଓ କଖାରୁ (Benincasa hispida)


ଚତୁର୍ଥ ଦିନର ଦେବୀ କୁଷ୍ମାଣ୍ଡାଙ୍କ ରୂପ କଖାରୁ ସହିତ ଜଡିତ, ଯାହା ଦେବୀଙ୍କୁ ଏକ ପ୍ରିୟ ନୈବେଦ୍ୟ ଭାବରେ ଅର୍ପଣ କରାଯାଏ। ଦେବୀ କୁଷ୍ମାଣ୍ଡା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ତାଙ୍କର ଦିବ୍ୟ ହସ ସହିତ ବ୍ରହ୍ମାଣ୍ଡକୁ ଶକ୍ତି ଏବଂ ଆଲୋକ ପ୍ରଦାନ କରେ । ଏହି ସମୟରେ ଦେବୀଙ୍କୁ ଅଷ୍ଟଭୁଜାଧାରୀ ଭାବରେ ଚିତ୍ରିତ କରାଯାଏ । ଯିଏ ଜ୍ଞାନ, ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତି।


କଖାରୁ ପ୍ରକୃତି: ଶାନ୍ତ 

କଖାରୁର ଗୁଣ: ପିତ୍ତକୁ ଶାନ୍ତ କରେ, ହୃଦୟକୁ ସୁସ୍ଥ ରଖେ । ଜ୍ୱର, ପିତ୍ତ ରୋଗ, ହୃଦସ୍ପନ୍ଦନ, ପରିସ୍ରା ସମସ୍ୟା ଏବଂ ମାନସିକ ଚାପ ପାଇଁ ଲାଭଦାୟକ। ଏହା ଶରୀରକୁ ହାଲୁକା ଏବଂ ସତେଜତା ପ୍ରଦାନ କରେ।


ସ୍କନ୍ଦମାତା ଓ ଅଲସୀ (Linum usitatissimum)


ନବରାତ୍ରିର ପଞ୍ଚମ ଦିନରେ ପୂଜା ପାଉଥିବା ଦେବୀ ସ୍କନ୍ଦମାତାଙ୍କୁ ଅଳସୀର ପ୍ରତୀକ ଭାବରେ ବିବେଚନା କରାଯାଏ । କାରଣ ଅଳସୀ ବାତ, ପିତ୍ତ ଏବଂ କଫ ରୋଗକୁ ନଷ୍ଟ କରେ ଏବଂ ସ୍କନ୍ଦମାତାଙ୍କୁ ପୂଜା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଏବଂ ପିଲାମାନଙ୍କ ସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।


ଅଲସୀର ପ୍ରକୃତି: ଗରମ 

ଅଲସୀର ଗୁଣ: ବାତକୁ ଶାନ୍ତ କରେ, ଶକ୍ତି ଏବଂ ଜୀବନଶକ୍ତି ବୃଦ୍ଧି କରେ । ହୃଦୟ ପାଇଁ ମଧ୍ୟ ଅଳସୀ ତେଲ ଲାଭଦାୟକ । ଯାହା ସ୍ନାୟୁକୁ ମଜବୁତ କରେ। ଏହା ପୁରୁଷମାନଙ୍କଠାରେ ବୀର୍ଯ୍ୟ ଉତ୍ପାଦନ ବୃଦ୍ଧି କରିବାରେ ଏବଂ ମହିଳାଙ୍କଠାରେ ହରମୋନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ।


କାତ୍ୟାୟନୀ ଓ ମଚିକା (Hibiscus cannabinus)


କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ରୂପ । ଦେବୀଙ୍କୁ ଋଷି କାତ୍ୟାୟନଙ୍କ କନ୍ୟା ଭାବରେ ବିବେଚନା କରାଯାଏ। ମଚିକା ହେଉଛି ଦେବୀ କାତ୍ୟାୟନୀଙ୍କ ସହ ଜଡିତ ଏକ ଆୟୁର୍ବେଦିକ ଔଷଧର ନାମ।


ମଚିକାର ପ୍ରକୃତି: ଶାନ୍ତ 

ମଚିକାର ଗୁଣ: ରକ୍ତ ପରିଷ୍କାରକ, ପିତ୍ତକୁ ଶାନ୍ତ କରେ, ଯକୃତକୁ ସୁରକ୍ଷା ଦିଏ। ରକ୍ତହୀନତା, ଜଣ୍ଡିସ୍, ସ୍ତ୍ରୀରୋଗ ସମସ୍ୟା ଏବଂ ଶରୀରର ଉତ୍ତାପ ପାଇଁ ଲାଭଦାୟକ। ଏହାର ପତ୍ର ଏବଂ ମଞ୍ଜି ଔଷଧୀୟ ଭାବରେ ଉପଯୋଗୀ।


କାଳରାତ୍ରି ଓ ନାଗଦୋନ(Euphorbia tithymaloides)


କାଳରାତ୍ରି ହେଉଛି ଦେବୀ ଦୁର୍ଗାଙ୍କ ସପ୍ତମ ରୂପ ଏବଂ ଏହାକୁ 'ନାଗଦୋନ' ବା 'ନାଗଦମନ' ଔଷଧ ସହ ଯୁକ୍ତ କରାଯାଏ । ଏହି ଔଷଧିର ଅନେକ ଲାଭ ଅଛି, ଏହା ପେଟ ସଂକ୍ରମଣରେ ଲାଭଦାୟକ ଏବଂ ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରେ।


ନାଗଦୋନର ପ୍ରକୃତି: ଗରମ

ନାଗଦୋନର ଗୁଣ: କୃମିନାଶକ, କଫ ସମସ୍ୟା ଦୂର କରେ । କାଶ, ଚର୍ମ ରୋଗ, ଅନ୍ତନଳୀ କୃମି ଏବଂ ସଂକ୍ରମଣ ପାଇଁ ମଧ୍ୟ ପ୍ରଭାବଶାଳୀ।  ନକାରାତ୍ମକ ଶକ୍ତିକୁ ଦୂରାଇବା ପାଇଁ ଘର ଚାରିପାଖରେ ଏହାକୁ ରଖାଯାଇଥାଏ।


ମହାଗୌରୀ ଓ ତୁଳସୀ (Ocimum sanctum)


ମହାଗୌରୀ ନବଦୁର୍ଗାଙ୍କ ଅଷ୍ଟମ ରୂପ, ଯାହାକୁ ତୁଳସୀ ମଧ୍ୟ କୁହାଯାଏ। ତୁଳସୀ ଏକ ପବିତ୍ର ଏବଂ ଔଷଧୀୟ ଗଛ ଯାହା ଦେବୀଙ୍କ ଔଷଧୀୟ ଗୁଣକୁ ପ୍ରତିନିଧିତ୍ୱ କରେ। ତୁଳସୀ ଘରେ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି କରେ।


ତୁଳସୀର ପ୍ରକୃତି: ଗରମ


ତୁଳସୀର ଗୁଣ: କଫ ଏବଂ ବାୟୁକୁ ସୁଦ୍ଧ କରେ, ଜୀବନଶକ୍ତି ବୃଦ୍ଧି କରେ, ଜ୍ୱରନାଶକ। ଥଣ୍ଡା, କାଶ, ଜ୍ୱର, ହୃଦରୋଗ, ମାନସିକ ଶାନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଉତ୍କୃଷ୍ଟ। ତୁଳସୀ ଘରର ପରିବେଶକୁ ମଧ୍ୟ ପବିତ୍ର କରିଥାଏ।


ସିଦ୍ଧିଦାତ୍ରୀ ଓ ଶତାବରୀ (Asparagus racemosus)


ସିଦ୍ଧିଦାତ୍ରୀ ହେଉଛନ୍ତି ଦେବୀ ଦୁର୍ଗାଙ୍କ ନବମ ଏବଂ ଶେଷ ରୂପ, ଯାହାକୁ ନାରାୟଣୀ କିମ୍ବା ଶତାବରୀ ନାମରେ ମଧ୍ୟ ଜଣାଯାଏ । କାରଣ ସେ ସିଦ୍ଧିଦାତ୍ରୀ ।  ଶତାବରୀ ଏକ ଔଷଧି ଯାହା ଶକ୍ତି, ବୁଦ୍ଧି ଏବଂ ବୀର୍ଯ୍ୟ ବୃଦ୍ଧି କରେ, ଏବଂ ଏହା ଏକ ମହାନ ଔଷଧ ଯାହା ହୃଦୟକୁ ଶକ୍ତିଶାଳୀ କରେ ଏବଂ ଅନେକ ବ୍ୟାଧିରୁ ଶରୀରକୁ ଆରୋଗ୍ୟ କରେ।


ଶତାବରୀର ପ୍ରକୃତି: ଶାନ୍ତ 

ଶତାବରୀର ଗୁଣ: ପିତ୍ତକୁ ଶାନ୍ତ କରେ, ଶକ୍ତି ବୃଦ୍ଧି କରେ। ଗର୍ଭାବସ୍ଥା, ଅନିଦ୍ରା, ବାତ ରୋଗ ଏବଂ ଦୁର୍ବଳତାରେ ଲାଭଦାୟକ।

Also Read : କାହିଁକି ଶାକାହାରୀ ଭୋଜନ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ ?


ନବରାତ୍ରିର ଏହି ପରମ୍ପରା ଆମକୁ ପରିବର୍ତ୍ତନଶୀଳ ଋତୁ ସହିତ ଶରୀରକୁ ସନ୍ତୁଳିତ କରିବାର ପ୍ରାକୃତିକ ବିଜ୍ଞାନ ବିଷୟରେ ଶିକ୍ଷା ଦିଏ ।