ଶାରଦୀୟ ନବରାତ୍ରୀ: ଆଦିଶକ୍ତି ମାତା ଦୁର୍ଗାଙ୍କ ୯ ରୂପର କାହାଣୀ

 


ଆଦିଶକ୍ତି ମାତା ଦୁର୍ଗାଙ୍କ ୯  ସ୍ୱରୂପ

ଶରତର ଆକାଶରେ ମେଘ ମେଦୁର, ନଦୀ ପଠାରେ ଖିଲିଖିଲି ହସୁଛି ଫୁଲେଇ ଫୁଲ.. ପବନ ଦୋଳିରେ ଝୁଲିଝୁଲି ଶକ୍ତି ସ୍ବରୂପା ମାଆଙ୍କୁ ସ୍ୱାଗତ କରୁଛି କାଶତଣ୍ଡୀ । ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥି ଅପେକ୍ଷାରେ  ବିତିଯାଇଛି କେତେ ଦିନ କେତେ ରାତି । ମା ଭଗବତୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଉପାସନା, ବ୍ରତ ପାଳନ କରୁଛି ଭକ୍ତ ।   ବୈଦିକ ମନ୍ତ୍ର ଧ୍ବନିରେ ମୁଖରିତ ୫୨ ଶକ୍ତିପୀଠ । ମଣ୍ଡପରେ ସଜ୍ଜିତ ମା ଦଶଭୂଜା । ଦୁର୍ଗତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣୀ ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଶକ୍ତିପୀଠରୁ ଅସ୍ଥାୟୀ ମଣ୍ଡପ । ନଅ ଦିନ ବ୍ୟାପି ୯ଟି ରୂପରେ ପୂଜା ପାଇବେ ମାଆ । କେବେ ଆପଣଙ୍କ ମନକୁ ଏପ୍ରଶ୍ନ ଆସିଛି କି ମାଙ୍କ ୯ ରୂପ କାହିଁକି ? ୯ ସଂଖ୍ୟାରେ ଏମିତି କଣ ରହସ୍ୟ ଲୁଚି ରହିଛି ??

୯ ସଂଖ୍ୟାର ରହସ୍ୟ

ନବରାତ୍ରୀରେ ମାଆଙ୍କ ୯ ସ୍ବରୂପକୁ ପୂଜା କରାଯାଏ । ଏହାସହ ନବଗ୍ରହ ପୂଜା ମଧ୍ୟ ହୋଇଥାଏ । ଜ୍ୟୋତିଷ, ଗଣିତ, ବିଜ୍ଞାନ, ଯେଉଁ ଦୃଷ୍ଟିକୋଣ ନେଇ ଦେଖିଲେ ବି ୯ ଅଙ୍କରେ ଆପଣ ଅଖଣ୍ଡତା ବା ପୂର୍ଣ୍ଣତା ହିଁ ଦର୍ଶନ କରିବେ । ବୈଦିକ ଗଣିତରେ ୯ ଅଙ୍କର ବ୍ୟବହାର ଶିକ୍ଷାର୍ଥୀଙ୍କୁ ଚକିତ କରିଥାଏ । ଛୋଟ ପିଲା ପଣିକିଆ ଶିଖିବାବେଳେ ୯କେ ପଣିକିଆ ଖୁବ ସହଜରେ ମୁଖସ୍ତ କରିପାରନ୍ତି । ୦ରୁ ୯ ଓ ୯ରୁ ୦ ଓଲଟାଇ ଲେଖିଲେ ବି ପୂରା ପଣିକିଆ ହୋଇଯାଏ । ସଂପୂର୍ଣ୍ଣ ୯ ପଣିକିଆରେ ସବୁ ଦ୍ବିଅଙ୍କ ବିଶିଷ୍ଟ ସଂଖ୍ୟାକୁ ଯୋଗକଲେ ୯ ଅଙ୍କ ହିଁ ମିଳିଥାଏ । ଏମିତି ଆଉ କୌଣସି ସଂଖ୍ୟାରେ ହୋଇନଥାଏ ।  ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଶେଷ ସଂଖ୍ୟା ବି ତ ୯ । ଏଥିପାଇଁ ଭାରତୀୟ ଦର୍ଶନରେ ୯ ସଂଖ୍ୟାକୁ ପୂର୍ଣ୍ଣତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । 

ମାଆ ଦୁର୍ଗାଙ୍କ ୯ ରୂପର ସାଙ୍କେତିକ ଅର୍ଥ

ଶକ୍ତିର କ୍ରମକୁ ଦର୍ଶାଇ ଥାଏ ମା'ଙ୍କ ୯ ସ୍ବରୂପ । ବିନା ଶକ୍ତିରେ ସୃଷ୍ଟି ଅସମ୍ଭବ । ଆଦିଶକ୍ତିଙ୍କ ପ୍ରଥମ ସ୍ୱରୂପ ଶୈଳପୁତ୍ରୀ ପ୍ରକୃତିର ପ୍ରତୀକ । କନ୍ୟାଟିଏ ଜନ୍ମ ନେବାବେଳେ ସର୍ବପ୍ରଥମେ ପୁତ୍ରୀ ରୂପରେ ଆସିଥାଏ । ଏଥିପାଇଁ ମା' ଦୁର୍ଗାଙ୍କ ନବରୂପର ପ୍ରଥମ ରୂପ ଶୈଳପୁତ୍ରୀ । ଏହାପରେ କନ୍ୟାଟିଏ ଜୀବନ ଓ ଦୁନିଆକୁ ଚିହ୍ନିଥାଏ । ନୂଆନୂଆ କଥା ଶିଖିଥାଏ । ଏଥିପାଇଁ ମା' ଦୁର୍ଗାଙ୍କ ଦ୍ବିତୀୟ ରୂପ ବ୍ରହ୍ମଚାରିଣୀ । ତୃତୀୟ ଅବସ୍ଥାରେ କନ୍ୟା ବଡ଼ ହୋଇଥାଏ । ବିବାହ କରେ, ଘରର ଦାୟିତ୍ବ ନିଏ । ଏଥିପାଇଁ ମାଙ୍କ ଚତୁର୍ଥ ରୂପ ଚନ୍ଦ୍ରଘଣ୍ଟା । ପରବର୍ତ୍ତୀ ସମୟରେ ନାରୀ ନୂଆ ଜୀବନକୁ ଗର୍ଭରେ ଧାରଣ କରନ୍ତି । ଏଥିପାଇଁ ମା ଦୁର୍ଗାଙ୍କ ପଞ୍ଚମ ରୂପ କୁଷ୍ମାଣ୍ଡା । ପରେ ନାରୀ ମା ରୂପ ଧାରଣ କରନ୍ତି । ସନ୍ତାନଙ୍କ ଯତ୍ନ ନିଅନ୍ତି । ଏଥିପାଇଁ ମା' ଦୁର୍ଗାଙ୍କ ଷଷ୍ଠ ରୂପ ସ୍କନ୍ଦମାତା । ଏହାର ପରବର୍ତ୍ତୀ ସମୟରେ ନାରୀ ସଂସାରର ଜଞ୍ଜାଳକୁ ସାମ୍ନା କରିଥାନ୍ତି । ଏଥିପାଇଁ ମା'ଙ୍କ ସପ୍ତମ ରୂପ କାତ୍ୟାୟନୀ । ପରବର୍ତ୍ତୀ ପର୍ଯ୍ୟାୟରେ ନାରୀ ବାହ୍ୟିକ ଓ ଆନ୍ତରିକ ସମସ୍ୟାର ମୁକାବିଲା କରିଥାନ୍ତି । ଯାହା ମା' ଦୁର୍ଗାଙ୍କ ଅଷ୍ଟମ ରୂପ କାଳରାତ୍ରୀର ସାଙ୍କେତିକ ଅର୍ଥ । ଜୀବନ ସଂଘର୍ଷରେ ବିଜୟର ଅର୍ଥ ବହନ କରିଥାଏ ମା'ଦୁର୍ଗାଙ୍କ ନବମ ରୂପ ମହାଗୌରୀ । ଶେଷରେ ସଫଳ ନାରୀ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାନ୍ତି, ସହାୟ ହୁଅନ୍ତି,  ମାର୍ଗଦର୍ଶନ କରାନ୍ତି। ଏହା ମା' ଦୁର୍ଗାଙ୍କ ଦଶମ ରୂପ ସିଦ୍ଧିଦାତ୍ରୀର ସାଙ୍କେତିକ ଅର୍ଥ । 

Nine Forms of Goddess Durga, and Significance | Colors of Life

ନବରାତ୍ରୀର ପ୍ରଥମ ଦିନ

ମା'ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀ 

ନବରାତ୍ରୀର ପ୍ରଥମଦିନରେ  ପୂଜା ପାଆନ୍ତି ଦେବୀ ଶୈଳପୁତ୍ରୀ। ଗିରିରାଜ ହିମାଳୟଙ୍କ କନ୍ୟା ଭାବେ ଜନ୍ମ ନେଇଥିଲେ ଆଦିଶକ୍ତିର ପ୍ରଥମ ସ୍ୱରୂପା ଦେବୀ ଶୈଳପୁତ୍ରୀ । ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଧରଣୀରେ ଅବତରଣ କରିଥିଲେ । ଯୋଗ ଶାସ୍ତ୍ରରେ  ନବରାତ୍ରୀର ପ୍ରଥମ ଦିନରେ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ କେନ୍ଦ୍ରିତ କରି ଉପାସନା କରିଥାନ୍ତି। ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମା'ଙ୍କୁ ଦେବୀ ଶୈଳପୁତ୍ରୀ କୁହାଯାଏ । ଶ୍ବେତ ଓ ସିନ୍ଦୁର ରଙ୍ଗର ବସ୍ତ୍ର ପରିହିତା ମାତା ବୃଷଭ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀଙ୍କ ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ଶୋଭା ପାଉଥାଏ ପଦ୍ମ । ଦେବୀ ଶୈଳପୁତ୍ରୀଙ୍କ ଆରାଧନା ସମୟରେ କମଳା ରଙ୍ଗ ବସ୍ତ୍ର ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ । ଦେବୀ ଶୈଳପୁତ୍ରୀଙ୍କ ଉପାସନା ରିଷ୍ଟ ଖଣ୍ଡନ ଓ ଶରୀର ରୋଗ ଶୂନ୍ୟ ହୁଏ ବୋଲି ବିଶ୍ବାସ ରହିଛି ।

ପୁରାଣ ବର୍ଣ୍ଣନା ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଭବବାନ ଶିବଙ୍କୁ ବିବାହ କରିଥିଲେ ସତୀ । ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ବିନା ନିମନ୍ତ୍ରଣରେ ଯାଇଥିବାରୁ ଯଜ୍ଞବେଳେ ଭଗବାନ ଶିବଙ୍କୁ ଅପମାନିତ କରିଥିଲେ ଦକ୍ଷ । ଏଥିପାଇଁ କ୍ରୋଧିତ ହୋଇ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପରଜନ୍ମରେ ସେ ହିମାଳୟଙ୍କ ପୁତ୍ରୀ ରୂପରେ ଭୂମିଷ୍ଟ ହୋଇଥିଲେ । 

ଦେବୀ ଶୈଳପୁତ୍ରୀଙ୍କ ପୂଜା ମନ୍ତ୍ର ହେଉଛି- ଯା ଦେବୀ ସର୍ବଭୂତେଷୁ ପ୍ରକୃତି ରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ନବରାତ୍ରୀର ଦ୍ବିତୀୟ ଦିନ

ମା'ଦୁର୍ଗାଙ୍କ ଦ୍ବିତୀୟ ରୂପ ଦେବୀ ବ୍ରହ୍ମଚାରିଣୀ 

ନବରାତ୍ରୀର ଦ୍ୱିତୀୟ ଦିବସରେ ଦେବୀ ବ୍ରହ୍ମଚାରିଣୀ ପୂଜା ପାଇଥାନ୍ତି। ତପସ୍ୟାରତ ମା’ଙ୍କ ଡାହାଣ ହାତରେ ଥାଏ ଜପାମାଳି ଓ ବାମ ହାତରେ ଶୋଭା ପାଉଥାଏ କମଣ୍ଡଳୁ । ବ୍ରହ୍ମଚାରିଣୀ ସ୍ୱରୂପର ଅନ୍ୟ ଦୁଇନାମ ହେଉଛି ଅପର୍ଣ୍ଣା ଓ ଉମା। ଦେବୀଙ୍କ ବ୍ରହ୍ମଚାରିଣୀଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ନବରାତ୍ରୀର ଦ୍ବିତୀୟ ଦିନରେ ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।

ନାରଦ ମୁନିଙ୍କ ପରାମର୍ଶ ଅନୁସାରେ ଦେବୀ, ଶିବଙ୍କୁ ପତି ରୂପରେ ପାଇବାକୁ କଠୋର ତପସ୍ୟା କରି ବ୍ରହ୍ମଜ୍ଞାନ ପ୍ରାପ୍ତ କରିଥିଲେ । ଏଥିପାଇଁ ଦେବୀଙ୍କ ଏହି ସ୍ବରୂପକୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଏ । 

ଦେବୀ ବ୍ରହ୍ମଚାରିଣୀଙ୍କ ପୂଜା ମନ୍ତ୍ର ହେଉଛି- ଯା ଦେବୀ ସର୍ବଭୂତେଷୁ ସୃଷ୍ଟି ରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ନବରାତ୍ରୀର ତୃତୀୟ ଦିନ

ମା'ଦୁର୍ଗାଙ୍କ ତୃତୀୟ ରୂପ ଦେବୀ ଚନ୍ଦ୍ରଘଣ୍ଟା 

ନବରାତ୍ରୀର ତୃତୀୟ ଦିନରେ ମା’ଚନ୍ଦ୍ରଘଣ୍ଟାଙ୍କ ଉପାସନା କରିଥାନ୍ତି ଭକ୍ତ । ଦେବୀ ଦଶଭୂଜା ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମସ୍ତକରେ ଶୋଭା ପାଉଥାଏ ଅର୍ଦ୍ଧଚନ୍ଦ୍ର । ଦଶ ହସ୍ତରେ ଥାଏ ଗଦା, ଧନୁଷ, ତ୍ରିଶୁଳ ପରି ଅନେକ ଅସ୍ତ୍ରଶସ୍ତ୍ର ସହ ପଦ୍ମ, କମଣ୍ଡଳୁ ଓ ଜପାମାଳି । ଦେବୀଙ୍କ ଉଗ୍ରରୂପ ଭକ୍ତଙ୍କୁ ସାଂସାରିକ କଷ୍ଟରୁ ମୁକ୍ତି ଓ ଅଭୟ ପ୍ରଦାନ କରିଥାଏ କିନ୍ତୁ ଅସୁରଙ୍କୁ ଭୟଭୀତ କରିଥାଏ । 

ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ମନ୍ତ୍ର ହେଉଛି- ॐ ଦେବୀ ଚନ୍ଦ୍ରଘଣ୍ଟାୟ ନମଃ।

ନବରାତ୍ରୀର ଚତୁର୍ଥ ଦିନ

ମା'ଦୁର୍ଗାଙ୍କ ଚତୁର୍ଥ ରୂପ ଦେବୀ କୁଷ୍ମାଣ୍ଡା 

ନବରାତ୍ରୀର ଚତୁର୍ଥ ଦିବସରେ ମା’କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। `କୁ'ର ଅର୍ଥ କ୍ଷୁଦ୍ର `ଉଷ୍ମ'ର ଅର୍ଥ ଶକ୍ତି ଏବଂ ଅଣ୍ଡାର ଅର୍ଥ ସୃଷ୍ଟିର ଆଦ୍ୟ ରୂପ ଅଣ୍ଡାକାର । ଯେତେବେଳେ ବ୍ରହ୍ମାଣ୍ଡରେ କେବଳ ଅନ୍ଧକାର ହିଁ ବିରାଜିତ ଥିଲା, ସେତେବେଳେ ମା'କୁଷ୍ମାଣ୍ଡା ସଂସାରକୁ ଆଲୋକିତ କରିଥିଲେ । ଦେବୀଙ୍କ ହସରୁ ସୃଷ୍ଟି ହୋଇଥିଲା ବ୍ରହ୍ମାଣ୍ଡ । ସୂର୍ଯ୍ୟଲୋକ ନିବାସୀ ମାତା କୁଷ୍ମାଣ୍ଡା ଅଷ୍ଟଭୂଜା । ୭ ହାତରେ ଥାଏ କମଣ୍ଡଳୁ, ଧନୁଷ, ବାଣ, ପଦ୍ମ,  ଅମୃତ କଳସ,  ଚକ୍ର ଓ ଗଦା । ଅଷ୍ଟମ ହାତରେ ଥାଏ ସର୍ବସିଦ୍ଧି ଓ ସର୍ବନିଧି ପ୍ରଦାନକାରୀ ଜପମାଳା । ଦେବୀ  କୁଷ୍ମାଣ୍ଡାଙ୍କ ଆରାଧନା ଭକ୍ତଙ୍କ ବୌଦ୍ଧିକ ବିକାଶ କରିଥାଏ । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। 

ଦେବୀ କୁଷ୍ମାଣ୍ଡାଙ୍କ ପୂଜା ମନ୍ତ୍ର ହେଉଛି- ଯା ଦେବୀ ସର୍ବଭୂତେଷୁ ତୁଷ୍ଟି ରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ନବରାତ୍ରୀର ପଞ୍ଚମ ଦିନ

ମା'ଦୁର୍ଗାଙ୍କ ପଞ୍ଚମ ରୂପ ଦେବୀ ସ୍କନ୍ଦମାତା  

ନବରାତ୍ରୀର ପଞ୍ଚମ ଦିବସରେ ସୁକୁମାର କାର୍ତ୍ତିକେୟଙ୍କ ମାତା ଭାବେ ପୂଜା ପାଇଥାନ୍ତି ମା’ସ୍କନ୍ଦମାତା । ବ୍ରହ୍ମାଣ୍ଡରେ ବ୍ୟାପ୍ତ ଶିବତତ୍ତ୍ବ, ଦେବୀ ଶକ୍ତି ସହ ମିଳନ ପରେ ସ୍କନ୍ଦ ଜନ୍ମ ହୋଇଥାଏ । ଦେବୀ ସ୍କନ୍ଦମାତା ଚତୁର୍ଭୂଜା ଓ ସିଂହ ଉପରେ ବିରାଜିତ ହୋଇଥାନ୍ତି । ମା’ଙ୍କ କୋଳରେ ବସିଥାନ୍ତି ପୁତ୍ର କାର୍ତ୍ତିକେୟ । 

ଦେବୀ ସ୍କନ୍ଦମାତାଙ୍କ ପୂଜା ମନ୍ତ୍ର ହେଉଛି- ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ନବରାତ୍ରୀର ଷଷ୍ଠ ଦିନ

ମା'ଦୁର୍ଗାଙ୍କ ଷଷ୍ଠ ରୂପ ଦେବୀ କାତ୍ୟାୟନୀ  

ନବରାତ୍ରୀର ଷଷ୍ଠ ଦିବସରେ ଦେବୀ କାତ୍ୟାୟନୀଙ୍କ ଉପାସନା କରିଥାନ୍ତି ଭକ୍ତ । ମହର୍ଷି କାତ୍ୟାୟନଙ୍କ ଗୋତ୍ରରେ ଜନ୍ମ ନେଇଥିବାରୁ ଦେବୀ କାତ୍ୟାୟନୀ ନାମଧାରଣ କରିଛନ୍ତି ମା। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ନେଇଥିଲେ । ସିଂହବାହିନୀ ମା'କାତ୍ୟାୟନୀ ଭକ୍ତଙ୍କୁ ଦିବ୍ୟତା ଓ ସକରାତ୍ମକତା ପ୍ରଦାନ କରିଥାନ୍ତି । 

ଦେବୀ କାତ୍ୟାୟନୀଙ୍କ ପୂଜା ମନ୍ତ୍ର ହେଉଛି- ଯା ଦେବୀ ସର୍ବଭୂତେଷୁ ସ୍ମୃତି ରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ନବରାତ୍ରୀର ସପ୍ତମ ଦିନ

ମା'ଦୁର୍ଗାଙ୍କ ସପ୍ତମ ରୂପ ଦେବୀ କାଳରାତ୍ରୀ  

ନବରାତ୍ରୀର ସପ୍ତମ ଦିବସରେ କାଳରାତ୍ରୀ ସ୍ବରୂପର ଉପାସନା କରାଯାଏ।  ଦେବୀଙ୍କ ଭୟଙ୍କର ଓ ଉଗ୍ର ରୂପ ଭକ୍ତଙ୍କୁ ଅଭୟ ପ୍ରଦାନ କରିଥାଏ । ପ୍ରତିକୂଳ ଗ୍ରହ ଦ୍ବାରା ଉତ୍ପନ୍ନ ବାଧା ନଷ୍ଟ ହୋଇଥାଏ । କାଳରାତ୍ରୀ ସ୍ବରୂପରେ ଦେବୀ ତ୍ରିନେତ୍ର ଧାରିଣୀ ହୋଇଥାନ୍ତି। ଶରୀରର ବର୍ଣ୍ଣ କାଳ ଅର୍ଥାତ କଳା ହୋଇଥାଏ ।  ଚତୁର୍ଭୁଜା ଦେବୀ ଗଧ ଉପରେ ବିରାଜମାନ କରିଥାନ୍ତି । ଗଳାରେ ବିଜୁଳିର ଚମକ ପରି ମାଳା ପରିଧାନ କରିଥାନ୍ତି । ହାତରେ ଥାଏ ଚନ୍ଦ୍ରହାସ ଖଡ଼ଗ ଏବଂ କଣ୍ଟାଯୁକ୍ତ କଟାର । ଉପରିଭାଗ ବସ୍ତ୍ର ରକ୍ତିମ ବର୍ଣ୍ଣର ଏବଂ ନିମ୍ନଭାଗରେ ବ୍ୟାଘ୍ର ଚମଡାର ବସ୍ତ୍ର ଧାରଣ କରିଥାନ୍ତି ମା। 

ଦେବୀ କାଳରାତ୍ରୀଙ୍କ ପୂଜା ମନ୍ତ୍ର ହେଉଛି- ॐ ଏଁ ହ୍ଳିଂ କ୍ଳିଂ ଚାମୁଣ୍ଡାୟେ ବିଚ୍ଚେ । 

ନବରାତ୍ରୀର ଅଷ୍ଟମ ଦିନ

ମା'ଦୁର୍ଗାଙ୍କ ଅଷ୍ଟମ ରୂପ ଦେବୀ ମହାଗୌରୀ  

ନବରାତ୍ରୀର ଅଷ୍ଟମ ଦିବସରେ ଦେବୀ ଦୁର୍ଗା ମହାଗୌରୀ ସ୍ବରୂପରେ ପୂଜା ପାଇଥାନ୍ତି । ଏହି ସ୍ବରୂପ ମା’ଙ୍କର ସୌମ୍ୟ ରୂପ। ବୃଷଭ ବାହିନୀ ଦେବୀଙ୍କ ଶରୀର ବର୍ଣ୍ଣ ଗୌର  ହେବାସହ ମାତା ଶ୍ବେତବସ୍ତ୍ର ପରିଧାନ କରିଥାନ୍ତି। ମହାଗୌରୀ ଚତୁର୍ଭୂଜା ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇ ହାତ ଭକ୍ତଙ୍କୁ ଅଭୟ ପ୍ରଦାନ ମୁଦ୍ରାରେ ରହିଥାଏ। 

ଭଗବାନ ଶିବଙ୍କୁ ପତି ରୂପରେ ପାଇବାକୁ ମାତା ପାର୍ବତୀ କଠୋର ତପ କରିବା ପରେ ଶରୀର କ୍ଷୀଣ ଏବଂ ବର୍ଣ୍ଣ କଳା ହୋଇଥିଲା । ପ୍ରସନ୍ନ ହୋଇ ଭଗବାନ ଶିବ ପାର୍ବତୀଙ୍କୁ ଅର୍ଦ୍ଧାଙ୍ଗିନୀ ରୂପେ ସ୍ବୀକାର କରିଥିଲେ । ନିଜ ଜଟାରୁ ପ୍ରବାହିତ ଗଙ୍ଗାର ଜଳଧାରା ମାତାଙ୍କ ଉପରେ ଅର୍ପିତ କରିବା ପରେ ଦେବୀଙ୍କ ରଙ୍ଗ ଗୌର ହୋଇଥିଲା ।  

ଦେବୀ ମହାଗୌରୀଙ୍କ ପୂଜା ମନ୍ତ୍ର ହେଉଛି- ସର୍ବ ମଙ୍ଗଳ ମାଂଗଲ୍ୟେ ସିବେ ସର୍ବାର୍ଥ ସାଧିକେ ଶରଣୈ ତ୍ରିୟମ୍ବିକେ ଗୌରୀ ନାରାୟଣୀ ନମସ୍ତୁତେ ।

ନବରାତ୍ରୀର ନବମ ଦିନ

ମା'ଦୁର୍ଗାଙ୍କ ନବମ ରୂପ ଦେବୀ ସିଦ୍ଧିଦାତ୍ରୀ  

ନବରାତ୍ରୀର ଅନ୍ତିମ ଦିବସରେ ସିଦ୍ଧିଦାତ୍ରୀ ସ୍ବରୂପରେ ଦେବୀଙ୍କୁ ଆରାଧନା କରାଯାଏ । ପଦ୍ମାସନରେ ଉପବିଷ୍ଟା ମା’ଙ୍କ ଚତୁର୍ଭୂଜରେ ଥାଏ ଶଙ୍ଖ, ଚକ୍ର,ଗଦା ଓ ପଦ୍ମ । ସର୍ବସିଦ୍ଧି ପ୍ରଦାନ କରୁଥିବାରୁ ମାଙ୍କ ଏହି ସ୍ବରୂପକୁ ସିଦ୍ଧିଦାତ୍ରୀ କୁହାଯାଏ । 

ଦେବୀ ସିଦ୍ଧିଦାତ୍ରୀଙ୍କ ପୂଜା ମନ୍ତ୍ର ହେଉଛି- ॐ ମହାଲକ୍ଷ୍ମୀ ବିଦମହେ, ବିଷ୍ଣୁ ପ୍ରିୟାୟ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ ।

ଏବଂ

ଯା ଦେବୀ ସର୍ବଭୂତେଷୁ ଲକ୍ଷ୍ମୀ ରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ପୌରାଣିକ ମାନ୍ୟତା ଅନୁସାରେ ନବରାତ୍ରୀର ଦୁଇ କାହାଣୀ

ମହିଷାସୁର ବଦ୍ଧ- କଠୋର ତପସ୍ୟାରେ ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲେ ମହିଷାସୁର । ବ୍ରହ୍ମା ବରଦାନ ପାଇଁ କହିବାରୁ ମହିଷାସୁର ମାଗିଥିଲେ ଅମର ବର । କିନ୍ତୁ ଏହା ସଂସାର ନିୟମର ବିରୁଦ୍ଧାଚରଣ କରୁଥିବାରୁ ଅନ୍ୟ ବର ମାଗିବାକୁ କହିଥିଲେ ବ୍ରହ୍ମା । ନିଜକୁ ଖୁବ ଚତୁର ମନେକରି କେବଳ ଜଣେ ନାରୀ ହାତରେ ନିଜ ମୃତ୍ୟୁ ବର ମାଗିଥିଲା ମହିଷାସୁର । ବ୍ରହ୍ମା ବି ତଥାସ୍ତୁ କହିଥିଲେ । ବାସ୍ ଏହାପରେ ଅହଂକାରର ବଶବର୍ତ୍ତୀ ହୋଇ ସ୍ବର୍ଗଲୋକରେ ହାହାକାରର କାରଣ ବନିଥିଲା ମହିଷାସୁର । ପରାଜିତ ହୋଇ ବିତାଡ଼ିତ ହୋଇଥିଲେ ଦେବତା । ସବୁ ଦେବତା ଏକତ୍ରିତ ହୋଇ ଭଗବାନ ବିଷ୍ଣୁ ଓ ଶିବଙ୍କ ଦ୍ବାରସ୍ଥ ହେଲେ । ସବୁ ଦେବତାଙ୍କ ଶକ୍ତିକୁ ମିଶାଇ ମହାଶକ୍ତି ଦୁର୍ଗାଙ୍କ ଆବିର୍ଭାବ ହେଲା । ୧୦ ଦିନର ସଂଗ୍ରାମ ପରେ ମହିଷାସୁରକୁ ବଦ୍ଧ କରିଥିଲେ ମା ମହିଷାସୁରମର୍ଦ୍ଦିନୀ ।  

ରାବଣ ବଦ୍ଧ- ବନବାସ ସମୟରେ ମାତା ସୀତାଙ୍କୁ ହରଣ କରିନେଇଥିଲା ଲଙ୍କାଧିପତି ରାବଣ । ଅପରାଧର ଦଣ୍ଡ ଦେବାକୁ ରାମସେତୁରେ ଯାଇ ରାବଣ ସହ ଯୁଦ୍ଧ କରିଥିଲେ ଭଗବାନ ରାମଚନ୍ଦ୍ର । ମାତା ଦୁର୍ଗାଙ୍କ ଆରାଧନା କରି ବିଜୟାଦଶମୀ ତିଥିରେ ରାବଣକୁ ବଦ୍ଧ କରିଥିଲେ ପ୍ରଭୁ ରାମଚନ୍ଦ୍ର । 

Also read: ଶ୍ରୀଗଣେଶଙ୍କ ହାତୀ ମୁଣ୍ଡ, ଉର୍ଦ୍ଧ୍ୱମୂଖୀ ଶୁଣ୍ଢ, ଭଙ୍ଗା ଦାନ୍ତ, ମୂଷା ବାହନ କାହିଁକି ?